Unknown

 

 

 

 

 

 

 

 

 

ରାମବିଳାପ

ଶ୍ରୀ ଚନ୍ଦ୍ରଚୂଡ଼ାମଣି ରାଜା ହରିଚନ୍ଦନ ଜଗଦ୍ଦେବ

 

ରାଗ–ହରିକାମୋଦୀ । ତାଳ–ଚାପ ।

 

‘‘ବାନ୍ଧବୀ କିସ ଭାବି, ନଇଲେ ଘନଚ୍ଛବି’’ ବୃତ୍ତରେ ।

ଆହା ଜାନକୀ ମୋର ନ ଦେଖି ମୁଖ ତୋର

ଅଶନ ବିଷ ସମ ହୋଇଲା ରେ । ପଦ।

ସକଳ ଛାଡ଼ି ବନେ ବୁଲି ବୁଲି ବିଜନେ

ଏ ଦଶା କାହିଁ ପାଇଁ ଘଟିଲା ରେ,

ବିଚ୍ଛେଦ କୁମ୍ଭସୁତ- ଗତ ହୋଇ ସମ୍ଭୂତ

ପ୍ରେମ-ସିନ୍ଧୁକୁ ଶୋଷି ପିଇଲା ରେ ।୧।

ତୋ ନାମ ଗାଇ ଗାଇ ବୃକ୍ଷ ଲତାଦି ଚାହିଁ

ଭ୍ରମିଲେ କାଳ ଯାପି ନୋହିଲା ରେ,

ମନୋରଥ ବିଫଳ ହେଲା ମାତ୍ର କେବଳ

ନିରତେ ଅଶ୍ରୁଧାରା ବହିଲା ରେ ।୨।

ତୋର ପ୍ରୀତି ପ୍ରବଳ ଭାବନା ଦାବାନଳ

ହୋଇ ମୋ ହୃଦ-ବନ ଦହିଲା ରେ,

କେଉଁ ଦୁର୍ଭାଗ୍ୟ ଧରି ମୋର ସୁଖ-ଶର୍ବରୀ

ଜାଗ୍ରତ ସ୍ୱପ୍ନ ଶେଷେ ପାହିଲା ରେ ।୩।

 

ପରିହରି ତୋ ସ୍ନେହ ଥାଇ କି ହେବ ଦେହ

କେତେ କଷ୍ଟ ଏ ପ୍ରାଣ ସହିଲା ରେ,

ସୁଖ-ବଲ୍ଲରୀ ଚରି ଦେବକୂଟ ଆଚରି

ଏଣିକି ଭ୍ରମେ ମନ ମୋହିଲା ରେ ।୪।

ସୁରଙ୍ଗୀ ନରମଣି ଶ୍ରୀ ଚନ୍ଦ୍ରଚୂଡ଼ାମଣି

ବୋଲେ ଆହା କି ବିହି ବିହିଲା ରେ,

ତା ନିୟମ ଲଙ୍ଘନ କରି ହେବ କେସନ

ଘଟିଲା ତ ସେ ଯାହା ନିହିଲା ରେ ।୫।

Image

 

ରାଗ–କଲ୍ୟାଣୀ । ତାଳ–ଚାପ ।

 

ଭଜ ବରଜରାଜ ରେ ପାମର ମନ

ବ୍ୟାଜ ବିଷୟ ତେଜ ରେ’’ ବୃତ୍ତରେ ।

 

ଜନକସୁତା ବହନ, ଦେଖା ଲପନ, ବଳିପଡ଼ିଛି କଦନ,

ଛଳ ଶ୍ଳେଷେ କିପାଇଁ, ପର୍ଣ୍ଣ କୁଟୀରୁ ଯାଇ,

ଲୁଚିଅଛୁ ବା କାହିଁ, ବଞ୍ଚନା କର ନାହିଁ । ପଦ।

 

ବେଳ ଅବସାନ ହେଲାଣି ଅନ୍ଧାର,

ମାନ କାହିଁକି କରୁ ଏପ୍ରକାର,

ମନେ କିଛିହିଁ ନ କରି ବିଚାର,

ଆସି ପାଶେ ବସି କର ତୁ ବିହାର ।୧।

 

ଦେଖି ମୋ କେଉଁ ଦୋଷକୁ, ବହି ରୋଷକୁ,

ନ ଆସୁ ମୋର ପାଶକୁ,

ରେ ଯୋଷାବରଭୂଷା, କିପାଁ ବା ଏଡ଼େ ରୁଷା,

ଦେଇ ଜଳ ମଞ୍ଜୁଷା ଓଷ୍ଠୀ ନାଶ ମୋ ତୃଷା,

ଏକାକୀ ମୋତେ କରି ଜେମାଦେଈ,

ଏହିପ୍ରକାର କଷ୍ଟକୁ ଦେଇ,

ଗଲୁ ଏକା ତୁହି କା’କୁ ନ ନେଇ,

ସୁରଙ୍ଗୀଶ ଭାଷେ ଭଜି ବଇଦେହୀ ।୨।

Image

 

ରାଗ–ବେହାଗ । ତାଳ–ଆଦି ।

 

‘‘ଇଦିମାଞ୍ଚିସାମାୟାମୁରା’’ ବୃତ୍ତରେ ।

ଆରେ ଜନକର କୁମାରି । ପଦ ।

 

ହେବ ବୋଲି ଏହା ସତେ ଚିତ୍ତେ ନ ଥିଲା ପରତେ,

ରହିଲୁ କାହିଁ ଗୁପତେ ଜୀବନେ ନ ମାରି ।୧।

ନ ଘେନି ମୋ ଉପଦେଶ ବହି ସନ୍ନ୍ୟାସିନୀ ବେଶ,

ଅରଣ୍ୟେ କଲୁ ପ୍ରବେଶ ଆହା ସୁକୁମାରି ।୨।

ଯାଇଥିଲି ତ ଆଦେଶି, କି କାରଣେ ଘନକେଶି,

ଦେଲୁ ସୌମିତ୍ରୀକି ପେଷି କିଛି ନ ବିଚାରି ।୩।

ତୋ ଲାଗି ବନ-ସଦନ ସମ ସୁଖ ମଣି ଧନ,

ଜାଣିଥିଲି କି କଦନ କେବେ କୁ କୁମାରି (’) ।୪।

ଚତୁର୍ଦ୍ଦଶ ବର୍ଷ ଶେଷେ ଯିବି ଆଉ କି ସ୍ୱଦେଶେ,

ମୁଁ ବିଯୋଗୀ ଯୋଗୀ ବେଶେ ହୋଇବି ଭିଖାରୀ ।୫।

ସେ ରବିବଂଶମଣ୍ଡନ ନାମକୁ ଭଜି ବହନ

ଚନ୍ଦ୍ରଚୂଡ଼ାମଣି ମନ ପାଉ କୃପା-ବାରି ।୬।

Image

 

ରାଗ–କୁମ୍ଭକାମୋଦୀ । ତାଳ–ଏକତାଳି ।

 

‘‘ନୂଆ ନଟପଟଳି ମୁକୁଟ ହେ ନାହିଁ କି ଶ୍ରୀଅଙ୍ଗ ସୁଖ’’ ବୃତ୍ତରେ ।

ହେଲି ମୁହିଁ ବାଳୀଶ, ବାଳୀଶକୁ କେ ଦେବ ଆଣି ପାଶକୁ ।

ଆଚରି ସନ୍ନ୍ୟାସ ହେଲି ମୁଁ ନିର୍ବାସ

ଏ ଦଶା ଥିଲା ଶେଷକୁ । ପଦ ।

 

କାମିନୀରତନେ ହରାଇ ଏ ବନେ

ଏକାକୀ ହେଲି କର୍ମକୁ ;

ମୋ ଭାଗ୍ୟକଲ୍ଲୋଳ ହୋଇ କି ବିଲୋଳ

ବାଜେ ଦୁର୍ଭାଗ୍ୟ ଶୈଳକୁ ।୧।

ପାଇଣ ଅଯଶ ଚଉଦ ବରଷ

ଶେଷ ନୋହୁଣୁ କୂଟକୁ

କରିଣ କିହେତୁ ବିହି ହୋଇ କେତୁ

ଗ୍ରାସେ ମୋ ଆଶା-ଈନକୁ ।୨।

ହୁଏ ଉପାଗମ କୋଟି ଯୁଗ ସମ

କ୍ଷଣିକ କାଳ ମନକୁ ;

ମାତ୍ରକ କରମ- କ୍ଷେତ୍ରର ନିୟମ

ବୁଝି ନ ଛାଡ଼େ ଭ୍ରମକୁ ।୩।

ହୃଦେ ଅନୁକ୍ଷଣ କରିଣ ସ୍ମରଣ

ଶ୍ରୀରାମ ଶ୍ରୀଚରଣକୁ ।

ସୁରଙ୍ଗୀ ନୃମଣି ଚନ୍ଦ୍ରଚୂଡ଼ାମଣି

ଭାଷେ ଯୋଡ଼ି ଦ୍ୱି କରକୁ ।୪।

Image

 

ରାଗ–ଦେଶାକ୍ଷ । ତାଳ–ନ୍ତ୍ରିପୁଟା ।

 

‘‘ଢାଳେ ତ ଢାଳିଲୁ ନାହିଁ କୃପା ସୁଧା ଝରିକି ରେ’’ ବୃତ୍ତରେ ।

ଆଉ କି ପାଇବି ସତେ ମୋ ନେତ୍ରସମ୍ପତ୍ତିକି ରେ । ପଦ ।

ହଟ କରି ନାହିଁ କେବେ, ଅଟବୀରେ କେଣେ ଏବେ

ହଟି ଏତେ ସରି କରି ରହନ୍ତା ଏପରି କି ରେ ।୧।

ନଥିଲା ମନରେ ଯାହା ଘଟିଲା ସହସା ତାହା,

ମୋ କରମ ବିନା କିପାଁ ନିନ୍ଦିବି ସେ ବିହକି ରେ ।୨।

କେତେ ପ୍ରକାରେ ବୁଝାଇ କହି ମୁଁ ଗଲି ଜଗାଇ,

ଛାଡ଼ି ତୁ ଯାଇ ନ ଥିଲେ ଏହା ହୋନ୍ତା କାହିଁକି ରେ ।୩।

ଥରେ ନ ଘେନି ମୋ କଥା ଆସି ଆପେ ପାଇ ବ୍ୟଥା,

ଗଲା କାହିଁ ବନେ ମୋତେ ଦେଇ ଏ ବିପତ୍ତିକି ରେ ।୪।

ଶ୍ରୀରାମ ନାମକୁ ଗାଇ ଚନ୍ଦ୍ରଚୂଡ଼ାମଣି ଧ୍ୟାୟି

ଭାଷେ ନାଶିବାକୁ ଜବେ ଦୁର୍ଭାର ଦୁର୍ଗତିକି ରେ ।୫।

Image

 

ରାଗ–ମାରୁଆ । ତାଳ–ଚାପ ।

 

‘‘ମୋହନ ରୀତି ଚିହ୍ନା ପଡ଼ିଲା ମା’’ ବୃତ୍ତରେ ।

ମନ୍ଦକର୍ମରୁ ସବୁ ଘଟିଲା ରେ ।ପଦ।

ହୃଦ-କାସାରେ ଚିର ରକ୍ଷିତ ପ୍ରେମନୀରେ

ନିଦାଘ-ଆତପ ତା ଲୁଟିଲା ରେ ।୧।

ପଲ୍ଲବିତ ମୋ ଭୋଗ- ବଲ୍ଲରୀକି ଦୁର୍ଯୋଗ-

କୁଠାର ସମୂଳରେ କାଟିଲା ରେ ।୨।

ଭାବି ନ ଥିଲି ଯାହା ଭୋଗ ହେଉଛି ତାହା,

ଜାଣିଲି ମୋ କପାଳ ଫାଟିଲା ରେ ।୩।

ସୀତା ସିତାଂଶୁମୁଖ ନ ଦେଖିବାରୁ ଦୁଃଖ-

ଅନ୍ଧାର ଏବେ ଆସି ଘୋଟିଲା ରେ ।୪।

ବୋଲେ ସୁରଙ୍ଗୀରାଣ ଲଭିବାପାଇଁ ତ୍ରାଣ

ମନ ରାମ ପଦେ ନ ଖଟିଲା ରେ ।୫।

Image

 

ରାଗ–ଧନାଶ୍ରୀ । ତାଳ–ଚାପ ।

 

‘‘ମନା ଯେ କରୁଥିଲି ଏହାକୁ ଗୋ,

ଆନା ନା ବୋଲି ବନରାହାକୁ ଗୋ’’ ବୃତ୍ତରେ ।

ମନ୍ଦକର୍ମରୁ କି ନ ଘଟଇ ରେ,

ହୃଦର ହାର ସର୍ପ ହୁଅଇ ରେ । ପଦ ।

ଯେ ପ୍ରାଣ ପରାଣର କାଳେ ସେ ହୁଏ ପର,

ଦୂରରୁ ଦେଖି ମୁଖ ମୋଡ଼ଇ ରେ ।

ଭୁଞ୍ଜି ଅତି ଶରମ କଲେ ଧର୍ମ କରମ

ସକଳ ବିଫଳତା ଭଜଇ ରେ ।୧।

ଶୌର୍ଯ୍ୟ ଧୈର୍ଯ୍ୟାଦି ସର୍ବ କ୍ରମଶଃ ହୁଏ ଖର୍ବ

ଚିନ୍ତା-ଚିତାର ଶିଖା ବଢ଼ଇ ରେ ।

ସୁତୀକ୍ଷ୍ଣ ବୁଦ୍ଧି କ୍ରମ ଲୋପ ପାଇ ଅଧମ

ଅକର୍ମଣ୍ୟ ଆଖ୍ୟାକୁ ଲଭଇ ରେ ।୨।

କାଲି ଯେ ଦଣ୍ଡଧାରୀ ଆଜି ସେହୁ ଭିଖାରୀ,

ଏ ଗୂଢ଼ ମର୍ମ ବୁଝି ନୁହଇ ରେ ।

ଯାହା ଥାଏ କପାଳେ ଫଳଇ ତାହା କାଳେ,

କଳେ ବଳେ ନୁହେ ବଦଳାଇ ରେ ।୩।

ରୋପି ରସାଳ ସୁଦ୍ଧା ଢାଳିଲେ ମୂଳେ ସୁଧା

ମହାକାଳ ଫଳ ତ ଫଳଇ ରେ ।

ସଂଯମେ ସୁକୌଶଳ କଲେ ହୁଏ ବିଫଳ

ସାର ଅସାର ଭାବ ଧରଇ ରେ ।୪।

ସକଳେ ତ ନିୟତ ନିୟତିର ଆୟତ୍ତ

ଭେଦାଭେଦ ତ ନାହିଁ କିଛିହିଁ ରେ ।

ସୁରଙ୍ଗୀ ନରମଣି ଶ୍ରୀ ଚନ୍ଦ୍ରଚୂଡ଼ାମଣି

ବୋଲେ କପାଳ ମୂଳ ଅଟଇ ରେ ।୫।

Image

 

ରାଗ–ବେହାଗ । ତାଳ–ଆଦି ।

 

‘‘ଆଜି ହେଲି ମେଲାଣି, ଛାମୁରୁ ଗୁଣମଣି’’ ବୃତ୍ତରେ ।

ରେ ଜନକସନ୍ତତି ମୋର ନେତ୍ରସମ୍ପତ୍ତି,

ଛାଡ଼ିଗଲୁ ଲଗାଇଣ ଦଗାଦିଆ ପୀରତି । ପଦ ।

କେମନ୍ତେ ତେଜି ତୋ ସ୍ନେହ ବଞ୍ଚିବି ବହି ଏ ଦେହ,

ମନେ ସବୁ ହୁଏ ହେୟ ସ୍ପୃହା ନାହିଁ ସମ୍ପ୍ରତି ।୧।

ମନ ଜାଣି କହି କଥା ନାଶିବକେ ମର୍ମବ୍ୟଥା,

ସମସ୍ତ କଲା ଅନ୍ୟଥା ଏ ଦାରୁଣ ବିପତ୍ତି ।୨।

ଆଣି ତୋତେ କେତେ ସରି କଲି ଅରଣ୍ୟେ ବିହରି,

କେତେ ଦିନ ବା ଏପରି ରହିଥିବ ବରତି ।୩।

ତୁ ମୋ ଶୟନେ ସ୍ୱପନେ ନ ଆସୁ ଦଣ୍ଡେ ନୟନେ,

ଦେଖୁ ନାହିଁ ତ ଚେତନେ ତୋ ମୋହନ ମୂରତି ।୪।

ସେ ରାମ ସୀତା ଚରଣ- କମଳ କରି ଭଜନ

ଭାଷେ ସୁରଙ୍ଗୀ ରାଜନ ଲଭିବାକୁ ମୁକତି ।୫।

Image

 

ରାଗ–ଶଙ୍କରାଭରଣ । ତାଳ–ରୂପକ ।

 

‘‘କି ନାଦରେ ପ୍ରାଣସଙ୍ଗିନୀ ଶୁଭୁଛି କଦମ୍ବବନେ’’ ବୃତ୍ତରେ ।

ଚିନ୍ତା ତୁହି ଚିତାଠାରୁ ଅଟୁ ଅତି ଭୟଙ୍କର,

ଆଉ ଏ ସମୟେ ମୋର ଅନ୍ତରେ ନ କର ଘର । ପଦ।

ଅନାହୂତେ ବଳେ ବଳେ ଦେଖାଦେଉ କି କୌଶଳେ,

ମର୍ମାନ୍ତିକ ଦୁଃଖାନଳେ ଦଗ୍ଧ କରୁ କଳେବର ।୧।

ପାଇଲେ ପ୍ରଶ୍ରୟ ଲେଶ ହୃଦ ସଦ୍ମେ ପରବେଶ

କରି କି ଛଟକେ ଶେଷ କରୁ ପେଶୀ ପେଷି ଶର ।୨।

ମମତାରେ ଯେଉଁ ବ୍ୟକ୍ତି ରଖିଣଥାଏ ଆସକ୍ତି,

ତା’ପରେ ବିସ୍ତାରି ଶକ୍ତି କରିଥାଉ ହରବର ।୩।

ଚନ୍ଦ୍ର ଚୂଡ଼ାମଣିରାଣ ବୋଲେ ଥିବାଯାକ ପ୍ରାଣ

ମନରୁ ଅଣୁପ୍ରମାଣ ହେବ କି ଚିନ୍ତା ଅନ୍ତର ।୪।

Image

 

ରାଗ–ବେହାଗ । ତାଳ–ଆଦି ।

 

‘‘ଯମୁନାପୁଲିନେ ବସି କାନ୍ଦେ ରାଧାବିନୋଦିନୀ’’ ବୃତ୍ତରେ ।

ସୁଖ ନୁହେ ତ ପୀୟୂଷ, ଅଟେ ଭାଇ ହଳାହଳ,

ଜାଣ ତାହା ଇନ୍ଦ୍ର ଜାଲ ପରକାର କେବଳ । ପଦ ।

ସୌଦାମିନୀ ସମ ସୁଖ ମୁହୂର୍ତ୍ତେ ଦେଖାଇ ମୁଖ

ଚାଲିଯାଏ ଦେଇ ଦୁଃଖ ଲୁଚେ କାହିଁ ବା ଚପଳ ।୧।

ଲୋଡ଼ିବାରୁ ସିନା ତାହା ଦେଇଣ ଦର୍ଶନ ଆହା

ଆଶ୍ରେ ପୁଣି ନିଜ ରାହା ହୋଇ ସେ ଅତି ପ୍ରବଳ ।୨।

ଦୁଃଖ ହେଲେ ଅବତୀର୍ଣ୍ଣ ମନ ହୁଅଇ ସଂକୀର୍ଣ୍ଣ,

କଳେବର ହୋଇ ଶୀର୍ଣ୍ଣ ହୁଏ କାଳର କବଳ ।୩।

ବୋଲେ ଚନ୍ଦ୍ର ଚୂଡ଼ାମଣି ସୁଖ ଦୁଃଖ ସମ ମଣି

ଭଜ ମନ ରଘୁମଣି-ଯୁଗଳ ପଦକମଳ ।୪।

Image

 

ରାଗ–ଝାଞ୍ଜୋଟ । ତାଳ–ଆଦି ।

 

‘‘କହିଦେଲୁ କାହିଁକି ମୋ ପ୍ରାଣମିତଣି’’ ବୃତ୍ତରେ ।

କାହିଁ ଗଲୁ ପ୍ରାଣଧନ, ମୁହିଁ ତୋ ବିନା କେସନ

ବହିବି ଏ ଅପଘନ ସହି ବିଚ୍ଛେଦ କଦନ ।ପଦ।

ପ୍ରେମାମ୍ବୁ ହୃଦ-କାସାରେ ପୂର୍ଣ୍ଣ କରି ଏକବାରେ,

ଶୁଖାଇଦେଲୁ କିପାଁ ରେ ଛିଣ୍ଡାଇ ସ୍ନେହ ବନ୍ଧନ ।୧।

ମୋ ଚିତ୍ତେ ଆଦରଶରେ ତୋ ପ୍ରତିବିମ୍ବ ସ୍ୱଚ୍ଛରେ,

ଚପଳ ଯଥା ଅମ୍ବରେ, ତଥା ଖେଳି ହୁଏ ଛନ୍ନ ।୨।

ତୋ ପ୍ରୀତି-ଧନରେ ଋଣୀ ହୋଇବି ବୋଲି ମୁଁ ପୁଣି,

ପ୍ରତେ ନଥିଲା ତରୁଣି, ଧିକ ଧିକ ମୋ ଜୀବନ ।୩।

ଚନ୍ଦ୍ରଚୂଡ଼ାମଣି ରାଜ ବୋଲେ ବିଧାତାର ବ୍ୟାଜ

ଅଟଇ ତ ଅନିବାର୍ଯ୍ୟ, କରି ହେବ କି ଲଙ୍ଘନ ।୪।

Image

 

ରାଗ–ବେହାଗ । ତାଳ–ରୂପକ ।

 

‘‘ଯଖନ ସଘନ ଗଗନ ଗରଜେ ବରଷେ କରକା ଧାରା’’ ବୃତ୍ତରେ ।

ଆହା ମୋ ଜାନକୀ ଛାଡ଼ି ତୁ ଏକାକୀ କାହିଁଗଲୁ କରି ହୀନ,

ବୁଲି ବୁଲି ବନ ହେଲି ଅବସନ୍ନ ଖୋଜି ତୋତେ ରାତ୍ର ଦିନ,

ସ୍ନେହ ବନ୍ଧନ ଏତେ ବହନ ହେବ ବୋଲି ବିଚ୍ଛିନ୍ନ,

ନ ଥିଲା ଚିତ୍ତେ ପରତେ, ନିରତେ ହୃଦୟ ହୁଏ ବିଦୀର୍ଣ୍ଣ ।୧।

ଚିତ୍ରିତ କୁଚିତ୍ର ବିଚିତ୍ର ସେ ଚିତ୍ର ସଂସାର ପଟେ ଏ ଦୀନ

ହୋଇଣ ବିଲୀନ କ୍ରମେ ଦିନ ଦିନ ସଢ଼ି ଯାଏ ତୋ ବିହୀନ,

ବିଧି ବିଧାନ ନୁହଇ ଆନ, ତାର ଗତି ବିଭିନ୍ନ,

ତହିଁର ଅଣୁ ପ୍ରମାଣ, ନିଦାନ, ମନେ ନୁହେ ଅବତୀର୍ଣ୍ଣ ।୨।

ଶୟନେ ସ୍ୱପନେ ଦେଖୁଛି ନୟନେ ତୋତେ ମୁହିଁ ପ୍ରତିଦିନ,

ପ୍ରତ୍ୟକ୍ଷେ ନ ଦେଖି ତୋ ଛବି ନିରେଖି କାଟୁଛି ମାତ୍ର ଦୁର୍ଦ୍ଦିନ,

ବୈଦେହୀ-ହୃଦ-କୁମୁଦ-ମୁଦ ରାମ ପଦନଳିନ

ଧ୍ୟାଏ ସୁରଙ୍ଗୀକ୍ଷିତାଶ, ଅନିଶ, ଚନ୍ଦ୍ରଚୂଡ଼ାମଣି ଈନ ।୩।

Image

 

ରାଗ–ଝଞ୍ଜୋଟି । ତାଳ–ଆଦି ।

 

‘‘ଘେନାଇ କହିଲେ କେତେ, ଘେନିବି କି ମୁଁ ଚିତ୍ତେ’’ ବୃତ୍ତରେ

ଆରେ ମୋ ଭାଇ ଲକ୍ଷ୍ମଣ, ଦେଖି ସୀତା ଭୂଷଣ

ବେଳୁବେଳ ଅକାରଣ ବଢ଼ୁଛି ମୋର କଷଣ ।ପଦ।

ଯେଣେ କଲେ ଲୋକନ, ତେଣେ ତା’ ଚନ୍ଦ୍ର ବଦନ

ଦିଶୁଅଛି ମୋ ନୟନ-ପଥରେ ଅନୁକ୍ଷଣ ।୧।

ତା’ ହୃଦୟ ବେଦନା କରିବ କିଏ ସାନ୍ତ୍ୱନା,

ଭୁଞ୍ଜି ସେ ପର ଲଞ୍ଛନା ଲୋଡ଼ୁଥିବ ମରଣ ।୨।

ଆଜନ୍ମ ସୁକୁମାରୀ ଜନକରାଜକୁମାରୀ,

କରମେ କି କୁଶଧାରୀ ନିହିଥିଲା ଏସନ ।୩।

ସୁରଙ୍ଗୀଧରଣୀମଣି ଭାଷେ ଚନ୍ଦ୍ରଚୂଡ଼ାମଣି,

ସେ ତରୁଣୀବଂଶାଗ୍ରଣୀ ଭାବ କରି ସ୍ମରଣ ।୪।

Image

 

ରାଗ–ଝଞ୍ଜୋଟ । ତାଳ–ରୂପ ।

 

‘‘ସହି ହେଜ ଆଜ ରଜନୀ ବଞ୍ଚିବି ମୁଁ କେହି ରେ’’ ବୃତ୍ତରେ ।

ଜୀବନେ ଥିବି କି ଜାନକୀ ହରାଇଣ ଚେତନା,

ତାର ମନ ଜାଣି ତାକୁ ଦେବ କିଏ ସାନ୍ତ୍ୱ ନା ।ପଦ।

କ୍ଷଣମାତ୍ର ନ ଦେଖି ମୋତେ ହୁଏ ତ ସେ ବିମନା,

ଏବେ ଝୁରି ପାଉଥିବ ମର୍ମାନ୍ତିକୀ ବେଦନା ।୧।

ଆହା ଏତେ କାଳେ ଏତେ ସେ ସହିଲା ଯା ଯାତନା,

ସତେ ବ୍ୟର୍ଥ ହୋଇବ କି ଅନ୍ତର୍ଗତ କାମନା ।୨।

ଚିତ୍ତେ ନାନା ସନ୍ଦେହଯୁକ୍ତ କଥା କରି କଳ୍ପନା

ବିକଳରେ ଯାଉଥିବ ସଢ଼ି ଚନ୍ଦ୍ରବଦନା ।୩।

ରାମ ସୀତା ଚରିତ୍ର ଭାବ ଭାବେ କରି ଭାବନା,

ଚନ୍ଦ୍ରଚୂଡ଼ାମଣି କରେ ରଚି ଗୀତେ ଭଜନା ।୪।

Image

 

ରାଗ–ଝଞ୍ଜୋଟ । ତାଳ–ଚାପ ।

 

‘‘ମଣିମା ଚକ୍ର ନାହିଁ କି କରେ’’ ବୃତ୍ତରେ ।

କି କରୁଥିବ ମୋ ସୀତାଧନ, ବିଷ ସମ ମଣୁଥିବ ଅଶନ । ପଦ ।

ତା ସଜସରୋଜଜିତ ନୟନ କରୁଥିବ ସଦା ଅଶ୍ରୁବର୍ଷଣ ।୧।

ଲାଗି ହୋଇଥିବା ବାସଭୂଷଣ ଗରୁ ଭାବୁଥିବ ଲଭି କଷଣ ।୨।

କ୍ଷଣ କ୍ଷଣ ମୋତେ କରି ସ୍ମରଣ, ଥୟ ନୋହୁଥିବ କେବେ ତା ମନ ।୩।

ଚନ୍ଦ୍ରଚୂଡ଼ାମଣି ହରିଚନ୍ଦନ, ଜଗଦ୍ଦେବ ଭାଷେ କରି ଶୋଚନ ।୪।

Image

 

ରାଗ–ତୋଡ଼ିପରଜ, ତାଳ–ଆଦି ।

 

‘‘ରେ ସଙ୍ଗାତ, ଗଲାଣି ତ ଗଲା କଥା’’ ବୃତ୍ତରେ ।

ରେ ଲକ୍ଷ୍ମଣ, ଧିକ ମୋର ବୀରପଣ,

ବଞ୍ଜୁଳବନେ ମୋ ମଞ୍ଜୁଳଲପନା ରହିଲା ପାଇ କଷଣ ।ପଦ ।

ଗହନେ ପ୍ରବେଶ କଲି ଛାଡ଼ି ଦେଶ

ବହି ବିଭୂତି ଭୂଷଣ,

ବୃକ୍ଷ ବଳ୍କ ବାସ ପର୍ଣ୍ଣବାସେ ବାସ

ହେଲା ମୋର ନିଷ୍କାରଣ ରେ ।୧।

ସବୁ ଜାଣି ଜାଣି ତରୁଣୀକି ଆଣି

ଦେଲି କଷ୍ଟ ଅକାରଣ,

ଆଜନ୍ମ ସୁଖିନୀ ମୋଲାଗି ଦୁଃଖିନୀ

ହେଲା ସିନା ଅନୁକ୍ଷଣ ରେ ।୨।

ସେ ପୁଟ ପୁରଟ- ବରଣୀ ନିପଟ

ବିକଳରେ ସୁମରଣ

କରିଣ ଆହୁରି ମୋତେ ଝୁରି ଝୁରି

ଲୋଡ଼ୁଥିବ ତ ମରଣ ରେ ।୩।

କାହୁଁ ଏ ଦୁର୍ଦ୍ଦଶା ଆସିଲା ସହସା

ନ ଥାଉଁଣୁ ଆମନ୍ତ୍ରଣ,

ସର୍ଜିଛି ନୟନ- ଗହରେ ସଘନ

ଶୋକ ଅଶ୍ରୁ ପ୍ରସ୍ରବଣ ।୪।

ସୁରଙ୍ଗୀ ନୃବର ଭଣେ ଯୋଡ଼ି କର

କରି ସୀତାଙ୍କୁ ସ୍ମରଣ,

ଦୁଃଖ-ପାରାବାର ହେବାପାଇଁ ପାର

ଧ୍ୟାୟି ଶ୍ରୀରାମ ଚରଣ ।୫।

Image